ମହା ଶିବରାତ୍ରି ✍ନିବେଦିତା ମହାନ୍ତି | U Writer

Poem Cover
ମହା ଶିବରାତ୍ରି
Writer Profile
✍ନିବେଦିତା ମହାନ୍ତି
Writer | U Writer
ଫାଲଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀ ଅଟଇ ଯେ ଶିବରାତ୍ରି , ମହାଦେବଙ୍କର ହୁଅଇ ଅର୍ଚ୍ଚନା ଶୈବପିଠେ ଭିଡ ଯାତ୍ରୀ । ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଅଟେ ସର୍ବକାମପ୍ରଦ ପୁଣ୍ୟ , ଯେଉଁ ନର କରେ ଏହି ବ୍ରତ ତା'ର ମନସ୍କାମ ହୁଏ ପୂର୍ଣ୍ଣ । ଏହି ଦିବସରେ ହର ପାର୍ବତୀଙ୍କ ହୋଇଥିଲା ପରିଣୟ, କିଏ କହେ ପୁଣି ଏ ଦିନ ଶଙ୍କର କରିଲେ ତାଣ୍ଡବ ନୃତ୍ୟ । ଆଉ କେହି କୁହେ ପ୍ରକଟ ହୋଇଛି ଏହିଦିନ ଶିବଲିଙ୍ଗ , ଭିନ୍ନ ପୁରାଣରେ ଲିପିବଦ୍ଧ ହୋଇ ରହିଛି ଭିନ୍ନ ପ୍ରସଙ୍ଗ । ଏ ଦିନ ଭକତ ଉପବାସ ରହି ସନ୍ଧ୍ୟାକୁ ଯାଏ ମନ୍ଦିର , ମନ୍ଦିର ପ୍ରIଙ୍ଗଣେ ଦୀପ ଜାଳିଥାଏ ରହି ପୁଣି ଉଜାଗର । ଚାରିଟି ପ୍ରହର ପ୍ରଦୀପ ଜାଳନ୍ତି ତୁଣ୍ଡରେ ଜପନ୍ତି ନାମ, କେହି କେହି ପୁଣି ମୌନ ରୁହନ୍ତି ପ୍ରଭୁଙ୍କୁ କରନ୍ତି ଧ୍ୟାନ । ଫୁଲ ଫଳ ବେଲ ପତର ଚଢାଇ କରିଥାନ୍ତି ଉପାସନା, ଭଜନ କୀର୍ତ୍ତନ କରନ୍ତି ଶ୍ରଦ୍ଧାରେ ଶୁଦ୍ଧ ରଖନ୍ତି ଭାବନା । ଶିବଲିଙ୍ଗକୁ ପୂଜା କରାଯାଏ ପଞ୍ଚାକ୍ଷର ମନ୍ତ୍ର ଗାଇ, ପ୍ରତି ପ୍ରହରରେ ହୁଏ ଅଭିଷେକ ଦୁଧ,ଦହି,ମହୁ ଦେଇ । ଚତୁର୍ଥ ପ୍ରହରେ ଉଠେ ମହାଦୀପ ମନ୍ଦିର ଚୂଡାଦେଶକୁ, ଅଜ୍ଞାନରୂପକ ଅନ୍ଧକାରକୁ ଯେ ଦୂର ଜାଣ କରିବାକୁ । ମହାଦୀପ ଦେଖି ବିହ୍ଵଳ ହୁଅନ୍ତି ପବିତ୍ର ହୁଅଇ ମନ, ପର ଦିନ ବ୍ରତ ଭାଙ୍ଗି କରିଥାନ୍ତି ଅନ୍ନ ଓ ଜଳ ଗ୍ରହଣ । ଜୀବନର ଅନ୍ଧକାର ଦୂର କରେ ପବିତ୍ର ଜାଗର ଜ୍ୟୋତି , ଉଜାଗର ରହି ଜାଗର ଜାଳି ମୁଁ ହେବି ତ ସୌଭାଗ୍ୟବତୀ । ଜୟ ଶିବ ଶମ୍ଭୁ ଜୟ ଭୋଳାନାଥ ନୀଳକଣ୍ଠ ମହେଶ୍ୱର , ପ୍ରଣାମ କରୁଛି ଶରଣ ଯାଉଛି ଭବରୁ କର ହେ ପାର ।
Tags: #ଓଡିଆ #କବିତା #UWriter

0 Comments